ବନ୍ୟାକୁ ତିନି ମାସ ବିତିଲାଣି। ହେଲେ ଏଯାଏଁ ମିଳିପାରିନି ନିଖୋଜ ଭାରତୀୟଙ୍କ ସନ୍ଧାନ। ଶେଷରେ ନିଖୋଜ ଥିବା ୨୧୩ ଜଣ ଭାରତୀୟଙ୍କୁ ମୃତ ଘୋଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନେପାଳ ସରକାର। ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି।
ଚଳିତ ବର୍ଷ ଅଗଷ୍ଟ ମାସରେ ନେପାଳର ତ୍ରିଶୂଳୀ ଓ ଭୋଟେ କୋଶି ନଦୀରେ ଆସିଥିଲା ଭୟଙ୍କର ବନ୍ୟା। ଏଥିରେ ନିଖୋଜ ହୋଇଥିବା ଭାରତୀୟଙ୍କ ତାଲିକା ପ୍ରକାଶ କରିଛି ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା ପ୍ରାଧିକରଣ।
ତାଲିକାରେ ନାମ ଯୋଡ଼ିବା, ବାଦ୍ ଦେବା କିମ୍ବା ସଂଶୋଧନ ପାଇଁ ଡିସେମ୍ବର ୨ ତାରିଖ ପୂର୍ବରୁ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ନିଖୋଜ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଅନୁରୋଧ କରାଯାଇଛି। ଏଥିପାଇଁ ଇମେଲ୍ ଠିକଣା ଓ ମୋବାଇଲ୍ ନମ୍ବର ମଧ୍ୟ ଜାରି କରିଛି ଦୂତାବାସ।
ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ ନେପାଳ ସରକାର। ଏହାପରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରିବ ଭାରତୀୟ ଦୂତାବାସ।
ଅଗଷ୍ଟ ୨୬ରେ ଆସିଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲା ଘରଦ୍ୱାର, ଗାଡ଼ିମୋଟର, ରାସ୍ତାଘାଟ ଓ ସେତୁ। ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ଜଳବିଦ୍ୟୁତ ପ୍ରକଳ୍ପ। ଏବେ ବି ନିଖୋଜ ଆତ୍ମୀୟଙ୍କ ସନ୍ଧାନ ଅପେକ୍ଷାରେ ରହିଛନ୍ତି ଅନେକ ପରିବାର।
