ଜନ୍ତର-ମନ୍ତରରେ କକରୋଚ୍ ଜନତା ପାର୍ଟିର ଚାଲିଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ଘୋଷଣା କରିଥିଲା। ଜୁଲାଇ ୨୨ ତାରିଖରେ ମଧ୍ୟ ଏହି ଷ୍ଟେସନଗୁଡ଼ିକ ବନ୍ଦ ରଖାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଏବେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ମେଟ୍ରୋ ଷ୍ଟେସନ ବନ୍ଦକୁ ନେଇ ଶୁଣାଣି ବେଳେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ କହିଛନ୍ତି, ଯଦି ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା କୌଣସି ସମାଧାନ ନ ହୁଏ, ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ବାର ଆସୋସିଏସନ୍ (SCBA) ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଆବେଦନରେ ମେଟ୍ରୋ ଷ୍ଟେସନ ଭିତରକୁ ଓକିଲ, ମାମଲାକାରୀ ଏବଂ ଅଦାଲତ କର୍ମଚାରୀଙ୍କୁ ସୀମିତ ପ୍ରବେଶ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା।
ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ, ଓକିଲମାନଙ୍କ ଅନୁପସ୍ଥିତି କାରଣରୁ ଆଜି କୌଣସି ପ୍ରତିକୂଳ ଆଦେଶ ଦିଆଯିବ ନାହିଁ। ତେବେ ଦ୍ୱିପ୍ରହର ସୁଦ୍ଧା ସମାଧାନ ନହେଲେ ସେ ଏହି ମାମଲାରେ ହସ୍ତକ୍ଷେପ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
DMRC ସକାଳ ୭ଟା ୩୦ ମିନିଟରୁ ରାଜୀବ ଚୌକ, ସୁପ୍ରିମକୋର୍ଟ, ମଣ୍ଡି ହାଉସ ଓ ଆଇଟିଓ ସମେତ ମୋଟ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ଘୋଷଣା କରିଥିଲା।
DMRC ପକ୍ଷରୁ ଜାରି ସୂଚନା ଅନୁସାରେ ଲୋକ କଲ୍ୟାଣ ମାର୍ଗ, ପଟେଲ ଚୌକ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରାଖମ୍ବା ରୋଡ, ସେବା ତୀର୍ଥ, ଜନପଥ, କେନ୍ଦ୍ରୀୟ ସଚିବାଳୟ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ, ଜୋର ବାଗ ଓ ଶିବାଜୀ ଷ୍ଟାଡିୟମ ମେଟ୍ରୋ ଷ୍ଟେସନଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।
ଜନ୍ତର-ମନ୍ତରରେ CJPର ପ୍ରଦର୍ଶନରେ ଭିଡ଼ ବଢ଼ୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ରାଜୀବ ଚୌକ, ମଣ୍ଡି ହାଉସ ଓ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଇଣ୍ଟରଚେଞ୍ଜ (ଲାଇନ ପରିବର୍ତ୍ତନ) ସୁବିଧା ପୂର୍ବଭଳି ଉପଲବ୍ଧ ରହିବ ବୋଲି DMRC ସ୍ପଷ୍ଟ କରିଛି।
