Home Featuredବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଉପରେ ସରକାରଙ୍କ କଡ଼ା ନଜର, ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା

ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଉପରେ ସରକାରଙ୍କ କଡ଼ା ନଜର, ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା

by Lokanath Panigrahi
0 comments

ଭୁବନେଶ୍ୱର: ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବନ୍ୟାରେ ପ୍ରଭାବିତ ନଳକୂପ ଓ ପାଇପ୍ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ସହ ଆବଶ୍ୟକ ସ୍ଥାନରେ ବିକଳ୍ପ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି।

ଜୁଲାଇ ୩୧, ୨୦୨୬ ସୁଦ୍ଧାର ତଥ୍ୟ ଅନୁସାରେ, ପ୍ରଭାବିତ ଜିଲ୍ଲାଗୁଡ଼ିକର ୧୩,୬୬୨ଟି ନଳକୂପ ମଧ୍ୟରୁ ୬,୪୯୧ଟି ବନ୍ୟାର ପ୍ରଭାବରେ ଆସିଥିଲା। ସେଥିରୁ ୨,୭୧୦ଟି ନଳକୂପର ବିଶୋଧନ କାମ ସମାପ୍ତ ହୋଇଛି। ସେହିପରି ୬୪୨ଟି ପାଇପ୍ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୫୭ଟି ପ୍ରଭାବିତ ହୋଇଥିବା ବେଳେ ୧୦୧ଟି ପ୍ରକଳ୍ପକୁ ପୁନଃ ସଚଳ କରାଯାଇଛି କିମ୍ବା ବିଶୋଧନ କରାଯାଇଛି।

ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କ୍ଷତି ସର୍ବାଧିକ ହୋଇଥିବାରୁ ସେଠାରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ ଚାଲିଛି। ଭଦ୍ରକର ୩,୪୧୧ଟି ପ୍ରଭାବିତ ନଳକୂପ ମଧ୍ୟରୁ ୧,୩୧୧ଟି, ବାଲେଶ୍ୱରର ୨,୧୯୧ଟି ମଧ୍ୟରୁ ୫୪୫ଟି ଏବଂ ଯାଜପୁରର ୫୧୧ଟି ମଧ୍ୟରୁ ୧୨୨ଟି ନଳକୂପର ବିଶୋଧନ କାମ ସରିଛି। ବାଲେଶ୍ୱରର ୭୫ଟି ପ୍ରଭାବିତ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ ମଧ୍ୟ ପୁନରୁଦ୍ଧାର କରାଯାଇଛି। ବନ୍ୟାଜଳ କମିବା ସହ କ୍ଷେତ୍ରସ୍ତରୀୟ ଦଳ ଅବଶିଷ୍ଟ ଜଳଉତ୍ସଗୁଡ଼ିକର ବିଶୋଧନ କାର୍ଯ୍ୟ ଜାରି ରଖିଛନ୍ତି।

ପାନୀୟ ଜଳ ସେବା ବାଧାଗ୍ରସ୍ତ ନ ହେବା ପାଇଁ ୪୭ଟି ଡିଜି ସେଟ୍, ୧୦ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍, ୩୭ଟି ପାଣି ଟ୍ୟାଙ୍କର ଏବଂ ୩୫ଟି ଅତିରିକ୍ତ ଯାନକୁ ନିୟୋଜିତ କରାଯାଇଛି। ଏପର୍ଯ୍ୟନ୍ତ ୧,୯୨,୨୩୫ଟି ପାଣି ବୋତଲ ଓ ପାଉଚ୍ ବଣ୍ଟନ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ବଣ୍ଟନ ପାଇଁ ଆହୁରି ୪,୬୫,୦୦୦ଟି ବୋତଲ ମହଜୁଦ ରହିଛି। ଜଳଉତ୍ସ ବିଶୋଧନ ପାଇଁ ୪,୪୨୦ ବସ୍ତା ବ୍ଲିଚିଂ ପାଉଡର୍ ମଧ୍ୟ ସଂରକ୍ଷିତ ରହିଛି।

ବନ୍ୟା ସମୟରେ ପରିସ୍ଥିତି ଉପରେ ସବୁବେଳେ ନଜର ରଖିବାକୁ ଭୁବନେଶ୍ୱରସ୍ଥିତ ଇଞ୍ଜିନିୟର-ଇନ୍-ଚିଫ୍ (RWS&S) କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟରତ ରହିଛି। ଅଧିକାରୀ ଓ କର୍ମଚାରୀମାନେ ପାଳି ଭିତ୍ତିକ ଡ୍ୟୁଟିରେ ରହି ପାନୀୟ ଜଳ ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ କରୁଛନ୍ତି। ରାଜ୍ୟ କଣ୍ଟ୍ରୋଲ ରୁମ୍‌ର ଫୋନ୍ ନମ୍ବର ହେଉଛି ୦୬୭୪-୨୩୯୧୨୦୩

ଏହା ସହ ଜିଲ୍ଲାସ୍ତରରେ ମଧ୍ୟ କଣ୍ଟ୍ରୋଲ ରୁମ୍ ସକ୍ରିୟ ରହିଛି। ପ୍ରଭାବିତ ଅଞ୍ଚଳରେ ଯଦି କୌଣସି ପାନୀୟ ଜଳ ଉତ୍ସ ଦୂଷିତ ହୁଏ କିମ୍ବା ଯୋଗାଣରେ ବାଧା ସୃଷ୍ଟି ହୁଏ, ତେବେ ତୁରନ୍ତ ପଦକ୍ଷେପ ନେବାକୁ କ୍ଷେତ୍ରସ୍ତରୀୟ ଟିମ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗର କହିବା ଅନୁସାରେ, ବନ୍ୟା ପ୍ରଭାବିତ ଜଳଉତ୍ସକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ପରେ ମାତ୍ର ବ୍ୟବହାର ପାଇଁ ଖୋଲାଯାଉଛି। ଯେଉଁଠାରେ ତୁରନ୍ତ ପୁନରୁଦ୍ଧାର ସମ୍ଭବ ନୁହେଁ, ସେଠାରେ ଟ୍ୟାଙ୍କର, ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍, ସିନ୍ଥେଟିକ୍ ଟ୍ୟାଙ୍କ ଓ ପ୍ୟାକେଜ୍ଡ ପାନୀୟ ଜଳ ମାଧ୍ୟମରେ ବିକଳ୍ପ ବ୍ୟବସ୍ଥା କରାଯାଉଛି।

ଏହା ସହ ପାନୀୟ ଜଳ ଓ ଅନ୍ୟାନ୍ୟ ଗ୍ରାମୀଣ ଭିତ୍ତିଭୂମିର କ୍ଷତିର ଆକଳନ ସହ ପୁନରୁଦ୍ଧାର କାର୍ଯ୍ୟ ଏକାସାଙ୍ଗରେ ଚାଲିଛି। ଆବଶ୍ୟକ ସରକାରୀ ସେବାକୁ ଶୀଘ୍ର ସ୍ୱାଭାବିକ କରିବା ଲକ୍ଷ୍ୟରେ ବିଭାଗ ପରିସ୍ଥିତି ଉପରେ ଲଗାତାର ନଜର ରଖି ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ଜାରି ରଖିଛି।

You may also like

Leave a Comment