ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ବୁଡ଼ିଯିବା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗଭୀର ସମୁଦ୍ରରେ ଜାହାଜଟି ହଠାତ୍ ଗୋଟିଏ ପଟକୁ ଢଳିବା ପରେ ଭାଙ୍ଗି ଯାଇଥିବା ଏବଂ ଅତି କମ୍ ସମୟ ମଧ୍ୟରେ ସମୁଦ୍ରରେ ନିମଜ୍ଜିତ ହୋଇଥିବା ଆଶଙ୍କା କରାଯାଉଛି।ସୂଚନା ଅନୁସାରେ, ଅଗଷ୍ଟ ୨୧ ରାତିରେ ଆଣ୍ଡାମାନ ଅଞ୍ଚଳ ନିକଟରେ ଜାହାଜ ସହ ଯୋଗାଯୋଗ ହଠାତ୍ ବିଚ୍ଛିନ୍ନ ହୋଇଥିଲା। ଜାହାଜର ଶେଷ ଲୋକେସନ୍ ପାରାଦୀପରୁ ପ୍ରାୟ ୨୨୬ରୁ ୨୪୦ ନଟିକାଲ୍ ମାଇଲ୍ ଦୂରରେ ଥିବା ଜଣାପଡ଼ିଥିଲା। ଏହା ପରଠାରୁ ଜାହାଜର କୌଣସି ସ୍ପଷ୍ଟ ସନ୍ଧାନ ମିଳିନାହିଁ।
ଜାହାଜରେ ମୋଟ ୨୪ ଜଣ କର୍ମଚାରୀ ଥିଲେ। ଏମାନଙ୍କ ମଧ୍ୟରୁ ଦୁଇଜଣ ଚୀନ ନାଗରିକଙ୍କୁ ସମୁଦ୍ରରେ ଭାସୁଥିବା ଅବସ୍ଥାରେ ଏକ ଘରୋଇ ତେଲ ଜାହାଜ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ କୋଷ୍ଟଗାର୍ଡ ଜାହାଜ ‘ଭରାଦ’କୁ ନିଆଯାଇ ଚିକିତ୍ସା କରାଯାଉଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।ତେବେ ଉଦ୍ଧାର ହୋଇଥିବା ଦୁଇ ନାଗରିକ କେବଳ ଚାଇନିଜ୍ ଭାଷାରେ କଥାବାର୍ତ୍ତା କରୁଥିବାରୁ ସେମାନଙ୍କଠାରୁ ଘଟଣା ସମ୍ପର୍କରେ ତଥ୍ୟ ହାସଲ କରିବାରେ ଉଦ୍ଧାରକାରୀ ଦଳକୁ ଅସୁବିଧା ହେଉଥିବା କୁହାଯାଉଛି। ଫଳରେ ଜାହାଜ ବୁଡ଼ିବାର ପ୍ରକୃତ କାରଣ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ଚିତ୍ର ମିଳିନାହିଁ।
କାହିଁକି ମାତ୍ର ୮ ମିନିଟ୍ରେ ବୁଡ଼ିଗଲା ଜାହାଜ?
ସାଧାରଣତଃ ଏକ ବଡ଼ ମାଲବାହୀ ଜାହାଜ ବୁଡ଼ିବାକୁ କିଛି ସମୟ ଲାଗିଥାଏ। କିନ୍ତୁ ‘ଓସେନ୍ ୱିନର’ ଅତି ଦ୍ରୁତ ଗତିରେ ସମୁଦ୍ରରେ ନିଖୋଜ ହୋଇଯାଇଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।ପ୍ରାଥମିକ ଭାବେ କିଛି ବିଶେଷଜ୍ଞ ଜାହାଜରେ ବୋଝେଇ ହୋଇଥିବା ଲୁହାପଥରର ଅବସ୍ଥା ଓ ଓଜନକୁ ସମ୍ଭାବ୍ୟ କାରଣ ଭାବେ ଦେଖୁଛନ୍ତି। ଲୁହାପଥରରେ ଅଧିକ ଆର୍ଦ୍ରତା କିମ୍ବା କାଦୁଅ ଥିଲେ ଏହାର ଓଜନ ଓ ଚଳନଶୀଳତା ବଦଳିପାରେ। ଫଳରେ ଜାହାଜର ସନ୍ତୁଳନ ପ୍ରଭାବିତ ହୋଇ ଗୋଟିଏ ପଟକୁ ଅଧିକ ଢଳିଯିବାର ସମ୍ଭାବନା ରହିଥାଏ।
ତେବେ ଏହା କେବଳ ପ୍ରାଥମିକ ଆଶଙ୍କା। ଜାହାଜର ଅବସ୍ଥାନ ଚିହ୍ନଟ ହେବା ଏବଂ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।ଅନ୍ୟପକ୍ଷରେ, ନିଖୋଜ ଥିବା ଅବଶିଷ୍ଟ ୨୨ ଜଣ କର୍ମଚାରୀଙ୍କ ପାଇଁ କୋଷ୍ଟଗାର୍ଡ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ସମୁଦ୍ରର ବିସ୍ତୃତ ଅଞ୍ଚଳରେ ଅଭିଯାନ ଚାଲିଥିବାରୁ ଉଦ୍ଧାରକାରୀ ଦଳ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
