Home Featuredଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ତାତି

ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ତାତି

by Sunita Jena
0 comments

ଖଣିଜ ସମ୍ପଦ ସମ୍ପର୍କିତ ଏମ୍‌ଏମ୍‌ଡିଆର୍‌ ଆଇନର ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ତର୍କ ତୀବ୍ର ହୋଇଛି। ସଂଶୋଧିତ ଆଇନର ପ୍ରଭାବରେ ରାଜ୍ୟର ରାଜସ୍ୱ ଓ ଆର୍ଥିକ ସ୍ୱାର୍ଥ ପ୍ରଭାବିତ ହେବ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ସହ ନାଗରିକ ସଂଗଠନଗୁଡ଼ିକ ମଧ୍ୟ ସକ୍ରିୟ ହୋଇଛନ୍ତି। ବିରୋଧୀଙ୍କ ଦାବି ଅନୁସାରେ, ନୂଆ ବ୍ୟବସ୍ଥା ଲାଗୁ ହେଲେ ଓଡ଼ିଶାକୁ ଖଣିଜ କ୍ଷେତ୍ରରୁ ମିଳୁଥିବା ରାଜସ୍ୱରେ ବଡ଼ ଧରଣର କ୍ଷତି ହୋଇପାରେ। ବକେୟା ପ୍ରାପ୍ୟ ଓ ଭବିଷ୍ୟତର ରାଜସ୍ୱ ହ୍ରାସକୁ ନେଇ ମଧ୍ୟ ବିରୋଧୀ ଦଳଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଏହାକୁ ସେମାନେ ରାଜ୍ୟର ଅଧିକାର ଓ ସଂଘୀୟ ବ୍ୟବସ୍ଥା ସହ ଜଡ଼ିତ ପ୍ରସଙ୍ଗ ବୋଲି ଦର୍ଶାଉଛନ୍ତି।

ଏହି ମୁଦ୍ଦାରେ କେନ୍ଦ୍ର ଓ ରାଜ୍ୟରେ ଶାସନରତ ବିଜେପିକୁ ଘେରିବା ପାଇଁ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ବିଭିନ୍ନ ସ୍ଥାନରେ ସଭା, ଆଲୋଚନା ଓ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗ ଆହୁରି ଉଷ୍ମ ହେବାର ସମ୍ଭାବନା ରହିଛି। ଏହି କ୍ରମରେ ବିଭିନ୍ନ ବାମଦଳ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳକୁ ନେଇ ଗଠିତ ‘ଇଣ୍ଡି’ ମେଣ୍ଟ ଭୁବନେଶ୍ୱରରେ ଏକ ବଡ଼ ସମାବେଶ କରିଛି। ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ଆଗାମୀ ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ମେଣ୍ଟ ପକ୍ଷରୁ ଘୋଷଣା କରାଯାଇଛି। ଏହା ପରେ ରାଜ୍ୟବ୍ୟାପୀ ବନ୍ଦ ଓ ଅନ୍ୟାନ୍ୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବା ନେଇ ମଧ୍ୟ ସଙ୍କେତ ଦିଆଯାଇଛି।

ମେଣ୍ଟ ପକ୍ଷରୁ ରାଜ୍ୟର ଖଣିଜ ସମ୍ପଦ, ଜମି, ଜଳ, ଜଙ୍ଗଲ ଓ ସ୍ଥାନୀୟ ଲୋକଙ୍କ ଜୀବିକା ସହ ଏହି ଆଇନର ସମ୍ଭାବ୍ୟ ପ୍ରଭାବକୁ ଯୋଡ଼ାଯାଇଛି। ରାଜ୍ୟଗୁଡ଼ିକର ଆର୍ଥିକ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ଉପରେ ଚାପ ବଢ଼ାଇବାକୁ ବିରୋଧୀ ଶିବିର ଯୋଜନା କରିଛି।

ସେହିପରି ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରସ୍ତୁତ ହୋଇଛି। ଲୋକଭବନ ସମ୍ମୁଖରେ ଧାରଣା ଏବଂ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହି ମୁଦ୍ଦା ଉପରେ ଆଲୋଚନା କରିବାକୁ ଦଳ ଦାବି କରୁଛି। ଆଗାମୀ ଦିନରେ ସୁନ୍ଦରଗଡ଼, ରାୟଗଡ଼ା, କେନ୍ଦୁଝର ଓ ଅନୁଗୁଳ ଭଳି ଖଣିଜ ସମ୍ପଦ ପ୍ରଧାନ ଅଞ୍ଚଳରେ ମଧ୍ୟ ସମାବେଶ ଓ ପ୍ରତିବାଦ କରାଯିବାକୁ ଯୋଜନା ରହିଛି। ତେଣୁ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଏବେ କେବଳ ଖଣିଜ ରାଜସ୍ୱର ପ୍ରସଙ୍ଗ ହୋଇ ରହିନାହିଁ ଏହାକୁ ନେଇ ରାଜ୍ୟରେ ରାଜନୈତିକ ଲଢ଼େଇ ମଧ୍ୟ ତୀବ୍ର ହେବାରେ ଲାଗିଛି।

You may also like

Leave a Comment