ବିପଦ ସଙ୍କେତ ତଳେ ସବୁ ନଦୀ; ମାଲକାନଗିରି-କଳାହାଣ୍ଡି ଉପରେ କଡ଼ା ନଜର, ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ରେ ସର୍ବାଧିକ ୧୯୨ ମିଲିମିଟର ବର୍ଷା ହୋଇଛି। ପରିସ୍ଥିତିକୁ ନେଇ ରାଜ୍ୟ ସରକାର ସତର୍କ ରହିବା ସହ ୨୪ ଘଣ୍ଟିଆ ନିରୀକ୍ଷଣ ଜାରି ରଖିଛନ୍ତି।
ରାଜ୍ୟର ୫ଟି ବ୍ଲକ୍ରେ ୧୦୦ ମିଲିମିଟରରୁ ଅଧିକ ଏବଂ ୩୩ଟି ବ୍ଲକ୍ରେ ୫୦ରୁ ୧୦୦ ମିଲିମିଟର ମଧ୍ୟରେ ବର୍ଷା ରେକର୍ଡ ହୋଇଛି। ସେପ୍ଟେମ୍ବର ୧ରୁ ୧୨ ତାରିଖ ମଧ୍ୟରେ ୯୦.୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକ ୯୬.୬ ମିଲିମିଟର ତୁଳନାରେ ୬.୬ ପ୍ରତିଶତ କମ୍। ଅନ୍ୟପଟେ ଜୁନ୍ ୧ରୁ ସେପ୍ଟେମ୍ବର ୧୨ ମଧ୍ୟରେ ରାଜ୍ୟରେ ୧୨୪୭.୫ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୨୫.୧ ପ୍ରତିଶତ ଅଧିକ।
ପାଣିପାଗ ବିଭାଗ ଅନୁସାରେ ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଥିବା ଲଘୁଚାପ ଆହୁରି ସକ୍ରିୟ ହୋଇପାରେ। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ।
ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ।
ତେବେ ରାଜ୍ୟର ସମସ୍ତ ନିରୀକ୍ଷଣାଧୀନ ନଦୀ ଏବେ ବିପଦ ସଙ୍କେତ ତଳେ ରହିଛି। ନରାଜଠାରେ ମହାନଦୀର ଜଳସ୍ତର ୨୨.୯୧ ମିଟର, ପାନପୋଷଠାରେ ବ୍ରାହ୍ମଣୀ ୧୭୨.୬୬ ମିଟର, ଆନନ୍ଦପୁରଠାରେ ବୈତରଣୀ ୩୪.୭୯ ମିଟର ଏବଂ ମଥାନୀଠାରେ ଜଳକା ୬.୪୬ ମିଟର ରହିଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସକାଳ ୯ଟାରେ ୬୨୯.୧୦ ଫୁଟ୍ ରହିଥିଲା। ଜଳଭଣ୍ଡାରକୁ ୬୩,୭୬୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୫୧,୦୬୨ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଖୋଲା ରହିଛି।
ମାଲକାନଗିରିର ମାଲକାନଗିରି, ମାଥିଲି, କାଲିମେଳା ଓ ପଡ଼ିଆ ବ୍ଲକ୍ରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ମାଥିଲି ଓ କାଲିମେଳାରେ ODRAF ଟିମ୍ ମୁତୟନ ହୋଇଛନ୍ତି। କାଙ୍ଗୁରୁକୋଣ୍ଡା, ପାଙ୍ଗାମ, MV-96 ଓ କନ୍ୟାଶ୍ରମ ପୋଲ ଉପରେ ପାଣି ପ୍ରବାହିତ ହେଉଛି। କଳାହାଣ୍ଡିର ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା ଓ ଲାଞ୍ଜିଗଡ଼ରେ ମଧ୍ୟ ସ୍ଥିତି ଉପରେ ନଜର ରଖାଯାଇଛି।
ଉପକୂଳରେ ପାଣିପାଗ ଖରାପ ରହିବା ଆଶଙ୍କାରେ ମତ୍ସ୍ୟଜୀବୀଙ୍କୁ ଆଗାମୀ ୨୪ ଘଣ୍ଟା ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଓ ସମସ୍ତ ଜିଲ୍ଲା ଜରୁରୀକାଳୀନ କେନ୍ଦ୍ର ୨୪ ଘଣ୍ଟା ସ୍ଥିତି ଉପରେ ନଜର ରଖିଛନ୍ତି।
