ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଥିଲେ ମଧ୍ୟ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ନାହିଁ। ଗଣେଶ ପୂଜା ଅବସରରେ ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ପାଗ ଅପେକ୍ଷାକୃତ ଭଲ ରହିଥିଲା। ତେବେ ଆଗାମୀ କିଛି ଦିନ ମଧ୍ୟରେ କେତେକ ଅଞ୍ଚଳରେ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଠିତ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ତୁଳନାମୂଳକ ଭାବେ କମ୍ ରହିଛି। ତଥାପି ମୌସୁମୀ ନିମ୍ନଚାପ ରେଖା ଏବଂ ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିପାରେ।
୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ସତର୍କତା
ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ବଜ୍ରପାତ ଏବଂ ଝଟକା ପବନର ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହି ଜିଲ୍ଲାଗୁଡ଼ିକ ହେଲା— ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋ;’ର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ନୂଆପଡ଼ା।
ଏହି ଅଞ୍ଚଳଗୁଡ଼ିକରେ ବର୍ଷା ସହ ବଜ୍ରପାତ ଏବଂ ଘଡ଼ଘଡ଼ି ସମୟରେ ଝଟକା ପବନ ବହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ମଙ୍ଗଳବାର ପାଇଁ ମଧ୍ୟ ୟେଲୋ ଆଲର୍ଟ
ସେହିପରି ଆସନ୍ତାକାଲି, ମଙ୍ଗଳବାର ପାଇଁ ମଧ୍ୟ ରାଜ୍ୟର ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ ଏବଂ ଖୋର୍ଦ୍ଧାରେ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହୋଇପାରେ।
କେତେକ ସ୍ଥାନରେ ଘଡ଼ଘଡ଼ି ସମୟରେ ଝଟକା ପବନ ବହିବାର ମଧ୍ୟ ଆଶଙ୍କା ରହିଛି।
୨୦ ତାରିଖ ବେଳକୁ ନୂଆ ଘୂର୍ଣ୍ଣିବଳୟ!
ଏପଟେ ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପରବର୍ତ୍ତୀ ଗତିପଥ ଓ ପ୍ରଭାବ ସମ୍ପର୍କରେ ଆଗାମୀ ଦିନରେ ଅଧିକ ସ୍ପଷ୍ଟ ସୂଚନା ମିଳିବ।
ସାମଗ୍ରିକ ଭାବେ ରାଜ୍ୟରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ଆସନ୍ତା କିଛି ଦିନ ଧରି ବିଚ୍ଛିନ୍ନ ଭାବେ ବର୍ଷା ଜାରି ରହିବା ସମ୍ଭାବନା ରହିଛି। ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ନ ରହିବାକୁ ସତର୍କ କରାଯାଇଛି।
