ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସ୍ୱେରେ ବୁଧବାର ରାତିରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ରେ ହଠାତ୍ ନିଆଁ ଲାଗିଯିବା ପରେ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୯ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି।
ଜେୱର ବିମାନବନ୍ଦର ନିକଟରେ ନୋଏଡାରୁ ମହୋବା ଯାଉଥିବା ଏକ ଘରୋଇ ଡବଲ୍ ଡେକର୍ ପର୍ଯ୍ୟଟକ ବସ୍ରେ ହଠାତ୍ ଭୟଙ୍କର ନିଆଁ ଲାଗିଥିଲା। ବସ୍ର ଉପରେ ବହୁ ପରିମାଣରେ ଲଗେଜ୍ ରଖାଯାଇଥିବା ଜଣାପଡ଼ିଛି। ଏହା ନିଆଁ ଲାଗିବାର ଏକ ସମ୍ଭାବ୍ୟ କାରଣ ହୋଇପାରେ ବୋଲି କୁହାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣା ପରେ ପୁଲିସ ଓ ଫୋରେନସିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ନିଆଁ କିପରି ଲାଗିଲା ଏବଂ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ
ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ୍ରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଗ୍ରହ ରାଶି ଦିଆଯିବ। ଏହାସହ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଜଣାପଡ଼ିଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ମୁମ୍ବାଇ-ପୁଣେ ହାଇୱେରେ ମଧ୍ୟ ଚଳନ୍ତା ବସ୍ରେ ନିଆଁ
ଏହା ସହ ମୁମ୍ବାଇ-ପୁଣେ ହାଇୱେରେ ମଧ୍ୟ ଏକ ଘରୋଇ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି। ଉଦୟପୁରରୁ ପୁଣେ ଯାଉଥିବା ଏହି ବସ୍ରେ ଖାଲାପୁର ଟୋଲ୍ ନାକା ନିକଟ ହିରାନନ୍ଦାନୀ ଇଷ୍ଟେଟ୍ ଅଞ୍ଚଳରେ ସକାଳ ପ୍ରାୟ ୭ଟା ସମୟରେ ନିଆଁ ଲାଗିଥିଲା।
ପ୍ରାଥମିକ ଭାବେ ବସ୍ର ଏସିରେ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ନିଆଁ ଲାଗିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍ରୁ ବାହାର କରାଯାଇଥିଲା। ଏହି ଘଟଣାରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।
ହାଇଦ୍ରାବାଦରେ ମଧ୍ୟ ଚଳନ୍ତା ବସ୍ରେ ଅଗ୍ନିକାଣ୍ଡ
ଗୁରୁବାର ଭୋର୍ ସମୟରେ ହାଇଦ୍ରାବାଦର କରମନଘାଟ ହନୁମାନ ମନ୍ଦିର ନିକଟରେ ଶ୍ରୀଶୈଳମ ଯାଉଥିବା ଏକ ଘରୋଇ ଟ୍ରାଭେଲ୍ ବସ୍ରେ ମଧ୍ୟ ନିଆଁ ଲାଗିଥିଲା। ଘଟଣା ସମୟରେ ବସ୍ରେ ୩୮ ଜଣ ଯାତ୍ରୀ ଥିଲେ।
ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀ ତୁରନ୍ତ ବସ୍ରୁ ବାହାରି ଆସିଥିଲେ। ଫାୟାର୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯାତ୍ରୀମାନେ ବାହାରି ଯାଇଥିବାରୁ ବଡ଼ ଅଘଟଣ ଟଳିଯାଇଥିଲା। କୌଣସି ବ୍ୟକ୍ତି ଗୁରୁତର ଆହତ ହୋଇନଥିବା ସୂଚନା ରହିଛି। ପ୍ରାଥମିକ ଭାବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।
