ଆଫଗାନିସ୍ତାନ ଏବଂ ଏହାର ପଡ଼ୋଶୀ ଦେଶଗୁଡ଼ିକରେ NATOର ସାମରିକ ଭିତ୍ତିଭୂମି ମୁତୟନକୁ ନେଇ ରୁଷିଆ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରୁଷିଆର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ, କୌଣସି ବାହାନାରେ ହେଉନା କାହିଁକି, ଆଫଗାନିସ୍ତାନ କିମ୍ବା ଏହାର ପଡ଼ୋଶୀ ଦେଶରେ NATOର ସାମରିକ ଭିତ୍ତିଭୂମି ସ୍ଥାପନ ମସ୍କୋ ପାଇଁ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଏପରି ଉପସ୍ଥିତି ଅଞ୍ଚଳରେ ଅସ୍ଥିରତା ବଢ଼ାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
ମସ୍କୋରେ ସୋମବାର ଆୟୋଜିତ ଆଫଗାନିସ୍ତାନ ଉପରେ ୮ମ ମସ୍କୋ ଫର୍ମାଟ୍ କନସଲଟେସନ୍ସ ବୈଠକରେ ଯୋଗଦେଇ ଲାଭରୋଭ ଏହି ମତ ରଖିଛନ୍ତି। ଆଫଗାନିସ୍ତାନରେ ତାଲିବାନ ନେତୃତ୍ୱାଧୀନ ସରକାରର କାର୍ଯ୍ୟକଳାପ ଉପରେ ମଧ୍ୟ ସେ ମତ ରଖିଥିଲେ।
ତାଲିବାନ ସରକାରକୁ ନେଇ ଲାଭରୋଭଙ୍କ ବଡ଼ ବୟାନ
ଲାଭରୋଭ କହିଛନ୍ତି ଯେ, ତାଲିବାନ ନେତୃତ୍ୱାଧୀନ ଆଫଗାନ ସରକାର ଦେଶରେ ତୁଳନାତ୍ମକ ଭାବେ ସଫଳତାର ସହ ଶାସନ କରୁଛି। ତାଙ୍କ ଅନୁସାରେ, ତାଲିବାନ ନେତୃତ୍ୱରେ ଥିବା ଜାତୀୟ ସରକାର ଦେଶର ପ୍ରାୟ ସମଗ୍ର ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ ସ୍ଥାପନ କରିପାରିଛି।
ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧୀ ଲଢ଼େଇ ଉପରେ ମଧ୍ୟ ଲାଭରୋଭ ଗୁରୁତ୍ୱ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଆଫଗାନ ସୁରକ୍ଷା ବାହିନୀ ISIS ବା ଦାଏଶ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ଜାରି ରଖିଛି। ଏହି ଲଢ଼େଇରେ ଶହ ଶହ ଆତଙ୍କବାଦୀ ନିହତ ହୋଇଥିବା ସହ ଅନେକ ବଡ଼ ଆକ୍ରମଣକୁ ବିଫଳ କରାଯାଇଥିବା ସେ ଦାବି କରିଛନ୍ତି।
କାବୁଲକୁ ଆତଙ୍କବାଦ ବିରୋଧୀ ସହାୟତା ଉପରେ ଜୋର
କାବୁଲର ଆତଙ୍କବାଦ ବିରୋଧୀ କ୍ଷମତାକୁ ମଜବୁତ କରିବା ସମସ୍ତଙ୍କ ସାଧାରଣ ସ୍ୱାର୍ଥ ବୋଲି ଲାଭରୋଭ କହିଛନ୍ତି। ଏଥିପାଇଁ ଲଜିଷ୍ଟିକ୍ ସହାୟତା ଓ ବିଶେଷଜ୍ଞ ପରାମର୍ଶ ଯୋଗାଇବା ସହ ସୁରକ୍ଷା ଏଜେନ୍ସି ଏବଂ ବିଶେଷ ସେବାଗୁଡ଼ିକ ମଧ୍ୟରେ ଯୋଗାଯୋଗ ବଜାୟ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଆଫଗାନିସ୍ତାନରେ ଅଫିମ ଉତ୍ପାଦନ ୯୦% କମିଛି: ଲାଭରୋଭ
ଆଫଗାନିସ୍ତାନରେ ଡ୍ରଗ୍ସ ଚୋରାଚାଲାଣ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପର ସକାରାତ୍ମକ ପରିଣାମ ମିଳୁଥିବା ଲାଭରୋଭ କହିଛନ୍ତି। ଜାତିସଂଘର ଆକଳନକୁ ଉଦ୍ଧୃତ କରି ସେ କହିଛନ୍ତି ଯେ, ୨୦୨୨ ପରଠାରୁ ଆଫଗାନିସ୍ତାନରେ ଅଫିମ ଉତ୍ପାଦନ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି।
ଏହାସହ ପଶ୍ଚିମୀ ଦେଶଗୁଡ଼ିକର କଠୋର କଟକଣା ସତ୍ତ୍ୱେ ଆଫଗାନିସ୍ତାନର ଅର୍ଥନୀତିରେ ବିକାଶ ଜାରି ରହିଥିବା ସେ ଦାବି କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୭୦ଟି ଉତ୍ପାଦନ ୟୁନିଟ୍ ଆରମ୍ଭ ହୋଇଥିବା ଏବଂ ଗତବର୍ଷ ଆଫଗାନିସ୍ତାନର ବୈଦେଶିକ ବାଣିଜ୍ୟ ପ୍ରାୟ ୧୪ ବିଲିୟନ ଡଲାରରେ ପହଞ୍ଚିଥିବା ଲାଭରୋଭ କହିଛନ୍ତି।
ତେବେ ଅର୍ଥନୈତିକ କ୍ଷେତ୍ରରେ କିଛି ସକାରାତ୍ମକ ସଙ୍କେତ ଥିଲେ ମଧ୍ୟ ଆଫଗାନିସ୍ତାନର ମାନବୀୟ ପରିସ୍ଥିତି ଏବେ ବି ଗମ୍ଭୀର ରହିଛି ବୋଲି ସେ ସ୍ୱୀକାର କରିଛନ୍ତି।
