ପୁଣି ଓଡ଼ିଶା ଆକାଶରେ ଘନେଇଲା ଲଘୁଚାପ ଆଶଙ୍କା। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର। ଆସନ୍ତା ୧୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବାର ଆଶଙ୍କା ରହିଛି।
ତେବେ ସମ୍ଭାବ୍ୟ ଲଘୁଚାପକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। କାରଣ ଗୋଟିଏ ପଟେ ଅମଳ ସମୟ, ଅନ୍ୟପଟେ ପୁଣି ବର୍ଷାର ଭୟ। ଚଳିତ ବର୍ଷ ବନ୍ୟା ଓ ବାତ୍ୟା ପ୍ରଭାବରେ ପୂର୍ବରୁ ହିଁ ଅନେକ ଚାଷୀ କ୍ଷତି ସହିଛନ୍ତି। ଚାଷ ଆରମ୍ଭରୁ ପ୍ରତିକୂଳ ପାଗ ଯୋଗୁଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ଅମଳ ବେଳକୁ ପୁଣି ଦେଖାଦେଇଛି ନୂଆ ଆଶଙ୍କା।
ବିଶେଷକରି ଧାନ ଅମଳ ସମୟରେ ଲଘୁଚାପଜନିତ ବର୍ଷା ହେଲେ ପାଚିଲା ଧାନ ନଷ୍ଟ ହେବା ସହ କ୍ଷେତରେ ପାଣି ଜମିବାର ଭୟ ରହିଛି। ଫଳରେ ଚାଷୀଙ୍କ ବର୍ଷକର ପରିଶ୍ରମ ଉପରେ ପାଣି ପଡ଼ିପାରେ।
ତେବେ ଲଘୁଚାପର ପ୍ରଭାବ ଓ ବର୍ଷାର ପରିମାଣ କେତେ ରହିବ, କେଉଁ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ, ତାହା ଆଗାମୀ ପାଣିପାଗ ପୂର୍ବାନୁମାନରୁ ସ୍ପଷ୍ଟ ହେବ।
ଏବେ ସମସ୍ତଙ୍କ ନଜର ବଙ୍ଗୋପସାଗରର ସମ୍ଭାବ୍ୟ ଲଘୁଚାପ ଉପରେ। ଅମଳ ଋତୁରେ ଏହି ଲଘୁଚାପ ଚାଷୀଙ୍କ ପାଇଁ କେତେ ବଡ଼ ସମସ୍ୟା ସୃଷ୍ଟି କରିବ, ତାହା ଦେଖିବାକୁ ବାକି ରହିଲା।
