ଐତିହାସିକ କଟକ ବାଲିଯାତ୍ରାରେ ଏଥର ଯୋଡ଼ିହେବ ଏକ ସ୍ୱତନ୍ତ୍ର ଅଧ୍ୟାୟ। ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା ଏହି ବାଲିଯାତ୍ରାର ଉଦ୍ଘାଟନ କରିବେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଚଳିତବର୍ଷ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ସମ୍ମତି ପ୍ରକାଶ କରିଥିବା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଉତ୍ସବରେ ସାମିଲ ହେବେ।
ତେବେ ଏଥର ଉଦ୍ଘାଟନୀ ଉତ୍ସବର ଆଉ ଏକ ବିଶେଷ ଆକର୍ଷଣ ରହିବ ମହାନଦୀରେ ଡଙ୍ଗାଯାତ୍ରା। ମହାନଦୀ ବୋଟ୍ କ୍ଲବ୍ରୁ ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ଅତିଥିମାନଙ୍କୁ ଡଙ୍ଗା ଯୋଗେ ଆଣିବାକୁ ଯୋଜନା କରାଯାଇଛି। ଏହାପରେ ଅତିଥିମାନେ ଉଦ୍ଘାଟନୀ ମଞ୍ଚରେ ପହଞ୍ଚିବେ। ସେଠାରେ ରାଷ୍ଟ୍ରପତି ଐତିହାସିକ ବାଲିଯାତ୍ରାର ଶୁଭ ଉଦ୍ଘାଟନ କରିବେ।
ଓଡ଼ିଶାର ପ୍ରାଚୀନ ସାଧବ ପୁଅମାନଙ୍କ ନୌବାଣିଜ୍ୟ ପରମ୍ପରା ସହ ଜଡ଼ିତ ରହିଛି ବାଲିଯାତ୍ରା। ଅତୀତରେ ଓଡ଼ିଆ ସାଧବମାନେ ବୋଇତରେ ସମୁଦ୍ର ପଥ ଦେଇ ବାଲି, ଜାଭା ଓ ସୁମାତ୍ରା ଭଳି ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସେହି ଗୌରବମୟ ପରମ୍ପରାକୁ ମନେପକାଇ ପ୍ରତିବର୍ଷ କଟକର ମହାନଦୀ ପଠାରେ ଆୟୋଜିତ ହୋଇଥାଏ ଐତିହାସିକ ବାଲିଯାତ୍ରା।
ଏହି ପରମ୍ପରା ସହ ଯୋଡ଼ି ହୋଇଥିବା ଡଙ୍ଗାଯାତ୍ରା ମାଧ୍ୟମରେ ଅତିଥିମାନଙ୍କୁ ଉଦ୍ଘାଟନୀ ଉତ୍ସବକୁ ଆଣିବାର ଯୋଜନା ଏଥର ବିଶେଷ ଆକର୍ଷଣ ସାଜିପାରେ।
ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ। ବିଶେଷକରି ଡଙ୍ଗାଯାତ୍ରା, ଗଡ଼ଗଡ଼ିଆ ଘାଟ ଓ ଉଦ୍ଘାଟନୀ ମଞ୍ଚରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।
ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରୁଥିବା କଟକ ବାଲିଯାତ୍ରାରେ ଏଥର ରାଷ୍ଟ୍ରପତିଙ୍କ ଉପସ୍ଥିତି ଉତ୍ସବର ଗୁରୁତ୍ୱକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି।
ଓଡ଼ିଶାର ନୌବାଣିଜ୍ୟ ଇତିହାସ, ମହାନଦୀରେ ଡଙ୍ଗାଯାତ୍ରା ଆଉ ରାଷ୍ଟ୍ରପତିଙ୍କ ଉପସ୍ଥିତି। ଏସବୁକୁ ନେଇ ଚଳିତବର୍ଷର ଐତିହାସିକ କଟକ ବାଲିଯାତ୍ରା ହେବାକୁ ଯାଉଛି ଆହୁରି ସ୍ମରଣୀୟ।
