Home Featuredଅ-ତିଥି ରଥଯାତ୍ରା ପ୍ରସଙ୍ଗ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜ

ଅ-ତିଥି ରଥଯାତ୍ରା ପ୍ରସଙ୍ଗ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜ

by Lokanath Panigrahi
0 comments

ପୁରୀ: ବିଦେଶ ସମେତ ବିଭିନ୍ନ ସ୍ଥାନରେ ଶାସ୍ତ୍ର ନିର୍ଦ୍ଦିଷ୍ଟ ତିଥି ବାହାରେ ଆୟୋଜିତ ହେଉଥିବା ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ପୁଣିଥରେ ଚିନ୍ତା ପ୍ରକାଶ କରିଛନ୍ତି ପୁରୀର ଗଜପତି ମହାରାଜ। ଏହି ପ୍ରସଙ୍ଗରେ ସେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଆବଶ୍ୟକ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଗଜପତି ମହାରାଜଙ୍କ ମତରେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ନିର୍ଦ୍ଦିଷ୍ଟ ଶାସ୍ତ୍ରୀୟ ତିଥି ଅନୁଯାୟୀ ପାଳନ କରାଯିବା ଉଚିତ। ଏହି ପରମ୍ପରା ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇ ଶତାବ୍ଦୀ ଧରି ଅବିଚ୍ଛିନ୍ନ ଭାବେ ଚାଲିଆସିଛି। ତେଣୁ ଅନ୍ୟ ସ୍ଥାନରେ ଅଲଗା ତାରିଖରେ ଏହି ଉତ୍ସବ ଆୟୋଜନ କରାଯିବା ଶାସ୍ତ୍ରୀୟ ପରମ୍ପରା ସହ ସମଞ୍ଜସ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ବିଭିନ୍ନ ସ୍ତରରେ ଚିଠିଚାପଟି ହୋଇଥିଲେ ମଧ୍ୟ ସନ୍ତୋଷଜନକ ସମାଧାନ ହୋଇନାହିଁ। ଏପ୍ରିଲ ମାସରେ ରାଷ୍ଟ୍ରପତିଙ୍କୁ ଏବଂ ଗତବର୍ଷ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରାଯାଇଥିଲା। ବର୍ତ୍ତମାନ ପୁଣିଥରେ ଉଭୟଙ୍କ ଦୃଷ୍ଟିଆକର୍ଷଣ କରି ଶାସ୍ତ୍ରୀୟ ପରମ୍ପରାର ସୁରକ୍ଷା ପାଇଁ ହସ୍ତକ୍ଷେପ ଲୋଡ଼ାଯାଇଛି।

ପତ୍ରରେ ଉଲ୍ଲେଖ ଅନୁସାରେ, ମେ ଠାରୁ ଅକ୍ଟୋବର ମଧ୍ୟରେ ଦେଶ ଓ ବିଦେଶର ଅନେକ ସ୍ଥାନରେ ଅ-ତିଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନର ଯୋଜନା ରହିଛି। ଏହାକୁ ନେଇ ବହୁ ଜଗନ୍ନାଥ ଭକ୍ତ ଓ ସଂସ୍କୃତିପ୍ରେମୀ ନିଜର ଆପତ୍ତି ଜଣାଇ ଆସୁଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

ଗଜପତି ମହାରାଜ କହିଛନ୍ତି, ବହୁ ସ୍ଥାନରେ ଭକ୍ତମାନେ ସମ୍ପୃକ୍ତ ସଂଗଠନଗୁଡ଼ିକୁ ଲିଖିତ ଭାବେ ଶାସ୍ତ୍ର ନିର୍ଦ୍ଦିଷ୍ଟ ତିଥି ଅନୁଯାୟୀ ଉତ୍ସବ ପାଳନ କରିବାକୁ ଅନୁରୋଧ କରୁଛନ୍ତି। ବିଭିନ୍ନ ଧାର୍ମିକ ଆଚାର୍ଯ୍ୟମାନେ ମଧ୍ୟ ପରମ୍ପରା ଅନୁସରଣ କରିବାକୁ ପରାମର୍ଶ ଦେଇଥିବା ସେ ଉଲ୍ଲେଖ କରିଛନ୍ତି।

ଏହା ସହିତ ସେ ସମ୍ପୃକ୍ତ ସଂଗଠନର ମୁଖ୍ୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପତ୍ର ଲେଖି ଆଗାମୀ ଅ-ତିଥି ରଥଯାତ୍ରା ଓ ସ୍ନାନଯାତ୍ରା ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

ଗଜପତି ମହାରାଜଙ୍କ ମତରେ, ଶ୍ରୀଜଗନ୍ନାଥଙ୍କ ପରମ୍ପରା, ଶାସ୍ତ୍ରୀୟ ନିୟମ ଏବଂ ଭକ୍ତମାନଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ୱ। ତେଣୁ ଏହି ବିଷୟରେ ସମନ୍ୱୟପୂର୍ଣ୍ଣ ସମାଧାନ ପାଇଁ କେନ୍ଦ୍ର ସରକାର ସକାରାତ୍ମକ ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

You may also like

Leave a Comment