ଶ୍ରାବଣ ମାସର ପବିତ୍ର କାଉଡିଆ ଯାତ୍ରାକୁ କେବଳ ଧାର୍ମିକ ଆସ୍ଥାର ଯାତ୍ରା ଭାବେ ନୁହେଁ, ବରଂ ସେବା, ସହଯୋଗ, ସାମାଜିକ ସମରସତା ଓ ଦାୟିତ୍ୱବୋଧର ଏକ ବଡ଼ ମହାପର୍ବରେ ପରିଣତ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି। ତାଙ୍କ ଅନୁସାରେ, କାଉଡିଆ ଯାତ୍ରା କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ; ଏହା ଭାରତୀୟ ସଂସ୍କୃତି, ସାମାଜିକ ଏକତା, ଶୃଙ୍ଖଳା ଓ ଲୋକକଲ୍ୟାଣର ଏକ ଜୀବନ୍ତ ପ୍ରତୀକ।
ଜନସାଧାରଣଙ୍କୁ ଦେଇଥିବା ଏକ ବାର୍ତ୍ତାରେ ଯୋଗୀ କହିଛନ୍ତି, ଭାରତୀୟ ପରମ୍ପରାରେ କିଛି ଯାତ୍ରା ଧାର୍ମିକ ଆଚାରର ସୀମାକୁ ଅତିକ୍ରମ କରି ସମାଜ ଓ ସାର୍ବଜନୀନ ଜୀବନ ପାଇଁ ଏକ ଜୀବନ୍ତ ଶିକ୍ଷାଳୟର ଭୂମିକା ନିର୍ବାହ କରେ। ଶ୍ରାବଣ ମାସର କାଉଡିଆ ସେହି ପରମ୍ପରାର ଏକ ଅନନ୍ୟ ଉଦାହରଣ। ଭଗବାନ ଶିବଙ୍କ ପ୍ରତି ଗଭୀର ଭକ୍ତି ନେଇ କୋଟି କୋଟି ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।
କାନ୍ଧରେ କାଉଡିଆ , ଗେରୁଆ ବସ୍ତ୍ର ଓ ମନରେ ମହାଦେବଙ୍କ ପ୍ରତି ଅଟଳ ଭକ୍ତି—ଏହି ତିନିଟି ଜିନିଷ କାଉଡିଆମାନଙ୍କୁ ଏକ ସାଧାରଣ ପରିଚୟରେ ବାନ୍ଧିଥାଏ। ଯାତ୍ରାରେ କାହାର ଗତି ଦ୍ରୁତ, କାହାର ଧୀର ହୋଇପାରେ, କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ ଏକ—ପବିତ୍ର ଜଳ ମହାଦେବଙ୍କୁ ଅର୍ପଣ କରିବା। ଏହି ଯାତ୍ରା ସମୟରେ ଜାତି, ବର୍ଗ, ଭାଷା, ଅଞ୍ଚଳ ଓ ଆର୍ଥିକ ସ୍ଥିତିର ଭେଦଭାବ ପଛକୁ ଚାଲିଯାଏ ବୋଲି ଯୋଗୀ ଉଲ୍ଲେଖ କରିଛନ୍ତି।
କାଉଡିଆ ଯାତ୍ରାକୁ ସାମାଜିକ ସମରସତାର ଏକ ବଡ଼ ପର୍ବ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯାତ୍ରା ସନାତନ ସଂସ୍କୃତିର ସମାନତାର ବାର୍ତ୍ତାକୁ ଜୀବନ୍ତ ରଖିଛି। ତାଙ୍କ ମତରେ, କାଁୱଡ଼ ଯାତ୍ରା ମଣିଷକୁ ତପସ୍ୟା, ଆତ୍ମସଂଯମ, ସେବା ଓ ପରସ୍ପର ସହଯୋଗର ମହତ୍ତ୍ୱ ଶିଖାଏ। ତପସ୍ୟା ଚରିତ୍ରକୁ ଦୃଢ଼ କରେ, ସେବା ସମାଜକୁ ଶକ୍ତିଶାଳୀ କରେ ଏବଂ ଏକତା ଦେଶକୁ ମଜବୁତ କରେ ବୋଲି ସେ କହିଛନ୍ତି।
ଯାତ୍ରାରେ ଦିବ୍ୟାଙ୍ଗ ଭକ୍ତମାନଙ୍କ ଅଂଶଗ୍ରହଣକୁ ମଧ୍ୟ ଯୋଗୀ ପ୍ରଶଂସା କରିଛନ୍ତି। ବିଭିନ୍ନ ଶାରୀରିକ ସମସ୍ୟା ଓ କଷ୍ଟ ସତ୍ତ୍ୱେ ଯେଉଁ ଭକ୍ତମାନେ ଅଟଳ ବିଶ୍ୱାସ ନେଇ ଯାତ୍ରା କରୁଛନ୍ତି, ସେମାନଙ୍କ ନିଷ୍ଠା ଓ ଭକ୍ତି କାଉଡିଆ ଯାତ୍ରାର ସବୁଠାରୁ ବଡ଼ ଶକ୍ତି ବୋଲି ସେ କହିଛନ୍ତି।
କାଉଡିଆ ଙ୍କ ସୁରକ୍ଷା ଓ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ପ୍ରସ୍ତୁତି କରିଛି। ଯାତ୍ରାପଥରେ ସ୍ୱଚ୍ଛତା, ସୁରକ୍ଷିତ ପାନୀୟ ଜଳ, ଚିକିତ୍ସା ସହାୟତା, ଶୌଚାଳୟ, ଆଲୋକ ବ୍ୟବସ୍ଥା, ସେବା ଶିବିର ଓ ଟ୍ରାଫିକ୍ ପରିଚାଳନା ଭଳି ବ୍ୟବସ୍ଥା କରାଯାଇଛି। କାଉଡିଆଙ୍କ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ପୁଷ୍ପବର୍ଷା ମଧ୍ୟ କରାଯାଉଛି। ଏହା ସହିତ ଯାତ୍ରାର ସୁରକ୍ଷା ଓ ପରିସ୍ଥିତି ଉପରେ ନଜର ରଖିବାକୁ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ନିରନ୍ତର ନିରୀକ୍ଷଣ କରାଯାଉଛି।
ଏହି ଅବସରରେ ପରିବେଶ ସୁରକ୍ଷା ଉପରେ ମଧ୍ୟ ଯୋଗୀ ଗୁରୁତ୍ୱ ଦେଇଛନ୍ତି। ପରିବେଶ ଅନୁକୂଳ ବ୍ୟବହାର କରିବା ସହ ପ୍ଲାଷ୍ଟିକ୍ ବ୍ୟବହାରରୁ ଦୂରେଇ ରହିବାକୁ ସେ ଭକ୍ତ ଓ ସାଧାରଣ ଲୋକଙ୍କୁ ଆହ୍ୱାନ କରିଛନ୍ତି। ଯାତ୍ରାପଥରେ ଆମ୍ବୁଲାନ୍ସ ଓ ସ୍କୁଲ୍ ଯାନବାହନକୁ ପ୍ରାଥମିକତା ଦେବା ସହ ଅନ୍ୟମାନଙ୍କ ସୁବିଧା ପ୍ରତି ସଚେତନ ରହିବାକୁ ସେ ଅନୁରୋଧ କରିଛନ୍ତି।
ଯୋଗୀ କହିଛନ୍ତି, ସରକାର ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ, କିନ୍ତୁ ପବିତ୍ର କାଉଡିଆ ଯାତ୍ରାର ମର୍ଯ୍ୟାଦା ଓ ଗରିମା ବଜାୟ ରଖିବା ସମସ୍ତଙ୍କ ସାମୂହିକ ଦାୟିତ୍ୱ। ଭକ୍ତି, ଶୃଙ୍ଖଳା, ସଂଯମ ଓ ସେବାକୁ ଆଧାର କରି କାଉଡିଆ ଯାତ୍ରାକୁ ଏକ ଆଦର୍ଶ ସାମାଜିକ ପରମ୍ପରାରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
