Home Featuredଆଙ୍ଗନ୍ କା ଉତ୍ସବରେ ମୁଖ୍ୟମନ୍ତ୍ରୀ: ପିଲାଙ୍କୁ ଖାଦ୍ୟ ପରଷିଲେ, ସ୍କୁଲ କିଟ୍ ବାଣ୍ଟିଲେ

ଆଙ୍ଗନ୍ କା ଉତ୍ସବରେ ମୁଖ୍ୟମନ୍ତ୍ରୀ: ପିଲାଙ୍କୁ ଖାଦ୍ୟ ପରଷିଲେ, ସ୍କୁଲ କିଟ୍ ବାଣ୍ଟିଲେ

by Lokanath Panigrahi
0 comments

ଏକ ସୁପୋଷିତ ଓଡ଼ିଶା ପାଇଁ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯/୯: ଏକ ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମହିଳା ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଜରିଆରେ ସରକାର କାର୍ଯ୍ୟ କରୁଛି। ପୋଷଣ ଅଭିଯାନକୁ ଅଧିକ ସଫଳ କରିବା ପାଇଁ ମହିଳାଙ୍କ ସହ ପରିବାରର ପୁରୁଷ ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରାଜ୍ୟସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ ୪୬ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଧାର ଯାଞ୍ଚ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ସେ କହିଛନ୍ତି।

ପ୍ରଥମ ୧୦୦୦ ଦିନ ଉପରେ ଗୁରୁତ୍ୱ

ଶିଶୁର ଜୀବନର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଶିଶୁର ସଠିକ୍ ଲାଳନପାଳନ ଓ ପୋଷଣ ପାଇଁ ମା’ଙ୍କ ସହ ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସକ୍ରିୟ ଭାବେ ଜଡ଼ିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଏଏନ୍‌ଏମ୍‌ ଓ ଆଶା କର୍ମୀଙ୍କ ନିଷ୍ଠାପୂର୍ଣ୍ଣ ସେବା ଯୋଗୁଁ ରାଜ୍ୟରେ ଶିଶୁ ଟୀକାକରଣ ଓ ଅନୁଷ୍ଠାନଗତ ପ୍ରସବ ବୃଦ୍ଧି ପାଇଛି। ଏଥିସହ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସରେ ମଧ୍ୟ ସେମାନଙ୍କ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହିଳା ସଶକ୍ତିକରଣ ଉପରେ ଫୋକସ୍

ମହିଳାଙ୍କ ମଙ୍ଗଳ ବିନା ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ସଶକ୍ତିକରଣ ପାଇଁ ‘ସୁଭଦ୍ରା’, ‘ଲକ୍ଷପତି ଦିଦି’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଓ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଭଳି ଯୋଜନା କାର୍ଯ୍ୟକାରୀ ହେଉଥିବା ସେ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ମୋଟ ବଜେଟର ଅତିକମରେ ୪୦ ପ୍ରତିଶତ ମହିଳାଙ୍କ ପାଇଁ ଖର୍ଚ୍ଚ ହେଉଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସୂଚନା

ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଏମ୍‌ଏ ପର୍ଯ୍ୟନ୍ତ ଶିକ୍ଷା ଦେୟମୁକ୍ତ କରାଯାଇଥିବା ସେ କହିଛନ୍ତି। ଏଥିସହ ସ୍ନାତକ ଶିକ୍ଷା ସମାପ୍ତ କରୁଥିବା ଝିଅମାନଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସେହିପରି ‘ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ମାଧ୍ୟମରେ ଚୟନିତ ଘରୋଇ ହସ୍ପିଟାଲରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।

ପିଲାଙ୍କୁ ଖାଦ୍ୟ ପରଷିଲେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ସହ କଥା ହୋଇଥିଲେ। ସେ ଅଙ୍ଗନବାଡ଼ି ପିଲାଙ୍କୁ ସ୍କୁଲ କିଟ୍‌ ବଣ୍ଟନ କରିବା ସହ ‘ତ୍ରିରଙ୍ଗା ଥାଳି’ ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିଥିଲେ। ଏହାସହ ପିଲାମାନଙ୍କୁ ନିଜେ ଖାଦ୍ୟ ପରଷିଥିଲେ।

ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ ପାଇଁ କିଛି ବାପାଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଆଶା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, ଶିଶୁ ଓ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

You may also like

Leave a Comment