Home Featuredଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ; ରାସ୍ତାକୁ ଓହ୍ଲାଇବେ ଚାଷୀ

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ; ରାସ୍ତାକୁ ଓହ୍ଲାଇବେ ଚାଷୀ

by Lokanath Panigrahi
0 comments

ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ବିଭିନ୍ନ ଦାବିକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯିବ।

ଏହି ବନ୍ଦକୁ ବିଜେଡି, କଂଗ୍ରେସ ସମେତ ବାମପନ୍ଥୀ ଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି। ଫଳରେ ବନ୍ଦ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକ, ଗାଡ଼ିମୋଟର ଚଳାଚଳରେ ବାଧା ଏବଂ ଟ୍ରାଫିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।

ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକ ପ୍ରତିଷେଧକ ଓ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଯେପରି ନିୟନ୍ତ୍ରଣରେ ରହେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ବନ୍ଦ ସମୟରେ କେତେକ ସ୍ଥାନରେ ଟାୟାର ଜାଳିବା, ରାସ୍ତା ଅବରୋଧ କରିବା ଏବଂ ଯାତାୟାତରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।

ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକରେ ସ୍ୱାଭାବିକ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବିଶେଷ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯେପରି ପ୍ରଭାବିତ ନହୁଏ, ତା’ଉପରେ ମଧ୍ୟ ପ୍ରଶାସନ ନଜର ରଖିବ।

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଓ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବନ୍ଦ ପାଳନ କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ, ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ପ୍ରଶାସନର ଫୋକସ୍ ରହିଛି।

You may also like

Leave a Comment