ଓଡ଼ିଆ ସିନେମାକୁ ମିଳିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ
ଭୁବନେଶ୍ୱର, ୫/୧୦: ଓଡ଼ିଆ ସିନେମା ଜଗତକୁ ମିଳିଛି ଏକ ନୂଆ ଭିତ୍ତିଭୂମି। ରାଜଧାନୀ ଭୁବନେଶ୍ୱରରେ ପୁନର୍ବିକଶିତ ଓ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବୀକୃତ ଷ୍ଟୁଡିଓକୁ ଲୋକାର୍ପିତ କରିଛନ୍ତି।
କେବଳ ଷ୍ଟୁଡିଓର ପୁନର୍ବିକାଶ ନୁହେଁ, ଓଡ଼ିଆ ସିନେମାର ଐତିହ୍ୟକୁ ସଂରକ୍ଷଣ ପାଇଁ ଏଠାରେ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ କରାଯାଇଛି। ପୁରୁଣା ଚଳଚ୍ଚିତ୍ର, ପୋଷ୍ଟର, ଫଟୋଗ୍ରାଫ୍ ଓ ଐତିହାସିକ ଦଲିଲକୁ ଏଠାରେ ସଂରକ୍ଷଣ କରାଯିବ।
ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ଏଣିକି ବୈଷୟିକ କାର୍ଯ୍ୟ ପାଇଁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଆଗାମୀ ଦିନରେ ଷ୍ଟୁଡିଓରେ ଆହୁରି ଆଧୁନିକ ସୁବିଧା ଯୋଡ଼ାଯିବ ବୋଲି ସେ କହିଛନ୍ତି।
ଡିଜିଟାଲ ଯୁଗର ଆବଶ୍ୟକତାକୁ ନଜରରେ ରଖି କଳିଙ୍ଗ ଷ୍ଟୁଡିଓକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଫିଲ୍ମ ଇକୋସିଷ୍ଟମ୍ ଭାବେ ବିକଶିତ କରାଯାଇଛି। ଏଠାରେ ଇନ୍ଡୋର ଶୁଟିଂ ଫ୍ଲୋର୍, ସ୍ନୋ ହାଉସ୍, କ୍ରୋମା ଫ୍ଲୋର୍, ଟେକ୍-ଜୋନ୍ ସହ ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ ଓ ପୋଷ୍ଟ-ପ୍ରଡକ୍ସନ୍ର ଆଧୁନିକ ବ୍ୟବସ୍ଥା ରହିଛି।
ଓଡ଼ିଆ ସିନେମାର ଅତୀତକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଚାଶ ଓ ଷାଠିଏ ଦଶକରେ ‘ମା’, ‘ଅମଡ଼ାବାଟ’ ଓ ‘ମାଟିର ମଣିଷ’ ଭଳି ଚଳଚ୍ଚିତ୍ର ଓଡ଼ିଆ ସାହିତ୍ୟ ଓ ସିନେମା ମଧ୍ୟରେ ଏକ ମଜବୁତ ସମ୍ପର୍କ ଗଢ଼ିଥିଲା। ୧୯୮୦ରେ ଓଡ଼ିଶାରେ ଚଳଚ୍ଚିତ୍ର ନିର୍ମାଣକୁ ସୁବିଧା ଦେବା ପାଇଁ କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା ହୋଇଥିଲା। ସମୟ ସହ ପ୍ରଯୁକ୍ତିରେ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହାର ପୁନର୍ବିକାଶ ଆବଶ୍ୟକ ହୋଇଥିଲା।
ରାଜ୍ୟର ଯୁବପିଢ଼ିଙ୍କୁ ସିନେମା ନିର୍ମାଣ ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଯୁବପିଢ଼ି ଅଭିନୟ, ନିର୍ଦ୍ଦେଶନା, ସିନେମାଟୋଗ୍ରାଫି, ଆନିମେସନ୍, ସାଉଣ୍ଡ ଡିଜାଇନ୍ ଓ ଡିଜିଟାଲ କଣ୍ଟେଣ୍ଟ ନିର୍ମାଣରେ ଆଗକୁ ବଢ଼ୁଛନ୍ତି। ନିଜର ମୌଳିକ କାହାଣୀ, ଲୋକକଥା, ଇତିହାସ ଓ ଓଡ଼ିଶାର ସାଂସ୍କୃତିକ ପରମ୍ପରାକୁ ଆଧାର କରି ନୂଆ ସିନେମା ତିଆରି କରିବାକୁ ସେ ଯୁବପିଢ଼ିଙ୍କୁ କହିଛନ୍ତି।
ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ପୁନର୍ବିକଶିତ କଳିଙ୍ଗ ଷ୍ଟୁଡିଓକୁ ଏକ ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ଭାବେ ଗଢ଼ାଯାଇଛି। ପ୍ରଡକ୍ସନ୍ଠାରୁ ପୋଷ୍ଟ-ପ୍ରଡକ୍ସନ୍ ପର୍ଯ୍ୟନ୍ତ ବିଭିନ୍ନ ଆବଶ୍ୟକତା ଏଠାରେ ପୂରଣ ହୋଇପାରିବ। ଚଳଚ୍ଚିତ୍ର ଶିଳ୍ପ କେବଳ ମନୋରଞ୍ଜନ ନୁହେଁ, ଏହା ଏକ ବଡ଼ ଆର୍ଥିକ ଇକୋସିଷ୍ଟମ୍ ବୋଲି ସେ କହିଛନ୍ତି।
ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC)ର ନୂଆ ଅଫିସିଆଲ୍ ପୋର୍ଟାଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି।
କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ କଳିଙ୍ଗ ଷ୍ଟୁଡିଓର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।
