Home » Blog » ମହିଳା ପୋଲିସଙ୍କ ପାଇଁ ବଡ଼ ଆଶ୍ୱସ୍ତି, ମାତୃତ୍ୱ ଓ ଶିଶୁ ଯତ୍ନକୁ ଗୁରୁତ୍ୱ!

ମହିଳା ପୋଲିସଙ୍କ ପାଇଁ ବଡ଼ ଆଶ୍ୱସ୍ତି, ମାତୃତ୍ୱ ଓ ଶିଶୁ ଯତ୍ନକୁ ଗୁରୁତ୍ୱ!

by Archana Singh
0 comments

ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ। ଏଣିକି କର୍ତ୍ତବ୍ୟ ପାଳନ ସହ ମାତୃତ୍ୱ ଓ ଶିଶୁ ଯତ୍ନକୁ ମିଳିବ ପ୍ରାଥମିକତା। ମହିଳା ପୋଲିସଙ୍କ ପାଇଁ ଲାଗୁ ହେବ ଲିଙ୍ଗ ସମ୍ବେଦନଶୀଳ କାର୍ଯ୍ୟ ବ୍ୟବସ୍ଥା।

ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ପୋଲିସ କର୍ମଚାରୀଙ୍କୁ କଠିନ ତଥା ଅଧିକ ଶାରୀରିକ ପରିଶ୍ରମ ଆବଶ୍ୟକ ହେଉଥିବା ଡ୍ୟୁଟିରୁ ଛାଡ଼ ମିଳିବ।

ସେହିପରି ୩ ବର୍ଷରୁ କମ୍ ବୟସର ସନ୍ତାନ ଥିବା ମହିଳା ପୋଲିସଙ୍କୁ ଯଥାସମ୍ଭବ ରାତ୍ରିକାଳୀନ ଡ୍ୟୁଟି, ଷ୍ଟାଟିକ୍ ଗାର୍ଡ ଡ୍ୟୁଟି ଓ ଦୀର୍ଘ ଯାତ୍ରାରୁ ଛାଡ଼ ଦିଆଯିବ। ଏଥିସହ ଡ୍ୟୁଟି ସମୟରେ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଓ ଯତ୍ନ ନେବା ପାଇଁ ଆବଶ୍ୟକ ବିରତି ଏବଂ ସୁବିଧା ଯୋଗାଇ ଦିଆଯିବ।

ବର୍ଷକୁ ମିଳିବ ଅତିରିକ୍ତ ୧୨ ଦିନ ଛୁଟି।

ମହିଳା ପୋଲିସ କର୍ମଚାରୀଙ୍କୁ ମାସକୁ ଗୋଟିଏ ଦିନ ହିସାବରେ ବର୍ଷକୁ ଅତିରିକ୍ତ ୧୨ ଦିନ କାଜୁଆଲ୍ ଲିଭ୍ ପ୍ରଦାନ କରାଯିବ। ପ୍ରସବ ପରେ ସୁସ୍ଥ ହେବା ଓ ନବଜାତ ଶିଶୁର ଯତ୍ନ ପାଇଁ ଅତିରିକ୍ତ ଛୁଟି ଆବେଦନକୁ ମଧ୍ୟ ସହାନୁଭୂତିର ସହ ବିଚାର କରାଯିବ।

ଗତ ନଭେମ୍ବର ୨୫ ତାରିଖରେ ଓଡ଼ିଶା ପୋଲିସର କ୍ରାଇମ୍ ଏଗେନ୍‌ଷ୍ଟ ୱିମେନ୍ ଆଣ୍ଡ୍ ଚିଲ୍‌ଡ୍ରେନ୍ ୱିଙ୍ଗ୍ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଏସ୍‌ପି, ଭୁବନେଶ୍ୱର ଓ କଟକ ଡିସିପିଙ୍କ ସମେତ କଟକ ଓ ରାଉରକେଲା ଏସ୍‌ଆର୍‌ପିଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

କର୍ମକ୍ଷେତ୍ରରେ ମହିଳା ପୋଲିସଙ୍କ ପାଇଁ ଅଧିକ ସୁବିଧାଜନକ ପରିବେଶ ସୃଷ୍ଟି କରିବା ସହ ବୃତ୍ତିଗତ ଓ ପାରିବାରିକ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଦିଗରେ ଓଡ଼ିଶା ପୋଲିସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

You may also like

Leave a Comment