ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ। ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଗତକାଲି ତୁଳନାରେ ଆଜି ତାପମାତ୍ରା ଆହୁରି ହ୍ରାସ ପାଇଥିବା ବେଳେ ଏକାଧିକ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି। ତେବେ ଆଗାମୀ ଦିନରେ ଶୀତ ଆହୁରି ବଢ଼ିବା ସହ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।
ଶୀତ ସାଙ୍ଗକୁ ଘନ କୁହୁଡ଼ି ମଧ୍ୟ ଜନଜୀବନକୁ ପ୍ରଭାବିତ କରୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହୁଥିବାରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି।
ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏହା ସହିତ ଗୁରୁଚାପ ବଳୟର ପ୍ରଭାବରେ ଆଗାମୀ ଦିନରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି।
ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରଭାବ ବଢ଼ିଛି। ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପାରଦ ୧୫ ଡିଗ୍ରୀ ସ୍ତରକୁ ଖସିଛି।
ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ, ରାଉରକେଲାରେ ୧୨.୩ ଡିଗ୍ରୀ, କେନ୍ଦୁଝରରେ ୧୩ ଡିଗ୍ରୀ, ସମ୍ବଲପୁରରେ ୧୩.୮ ଡିଗ୍ରୀ, ବାଲେଶ୍ୱରରେ ୧୫ ଡିଗ୍ରୀ, ଭୁବନେଶ୍ୱରରେ ୧୫.୫ ଡିଗ୍ରୀ ଓ ହୀରାକୁଦରେ ୧୫.୬ ଡିଗ୍ରୀ ସେଲସିୟସ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବିଭିନ୍ନ ସ୍ଥାନରେ ସକାଳୁ କୁହୁଡ଼ି ଦେଖାଦେବା ସହ ରାତି ଓ ଭୋର ସମୟରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହୋଇପାରେ। ତେଣୁ ଘନ କୁହୁଡ଼ି ସମୟରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବା ଆବଶ୍ୟକ।
