ଭୁବନେଶ୍ୱର, ୧୮ ଜୁଲାଇ: ଓଡ଼ିଶାରେ କର୍କଟ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଅଧୀନରେ ୧୨୧ଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ନୂଆ ପ୍ୟାକେଜ୍ ଯୋଡ଼ାଯିବା ଦ୍ୱାରା କର୍କଟ ରୋଗୀମାନେ ପୂର୍ବ ଅପେକ୍ଷା ଅଧିକ ଉନ୍ନତ ଓ ସମ୍ପୂର୍ଣ୍ଣ ଚିକିତ୍ସା ସୁବିଧା ପାଇପାରିବେ। ଏଥିରେ କେମୋଥେରାପି, ରେଡିଏସନ୍ ଥେରାପି ଏବଂ ବିଭିନ୍ନ ଜଟିଳ ଅସ୍ତ୍ରୋପଚାରକୁ ସାମିଲ କରାଯାଇଛି। ଫଳରେ ଆର୍ଥିକ ସମସ୍ୟା ଯୋଗୁଁ ରୋଗୀମାନଙ୍କୁ ଚିକିତ୍ସା ଅଧାରୁ ବନ୍ଦ କରିବାକୁ ପଡ଼ିବ ନାହିଁ।
ସେ କହିଛନ୍ତି, ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରାୟ ୧,୯୦୦ଟି ଚିକିତ୍ସା ପ୍ୟାକେଜ୍ ଥିବାବେଳେ, ଓଡ଼ିଶାରେ ଏହାର ସଂଖ୍ୟା ୨,୧୦୦ରୁ ଅଧିକ। ଚଳିତ ବର୍ଷ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ଅଧୀନରେ ଏହି ୧୨୧ଟି ନୂଆ ପ୍ୟାକେଜ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯିବ।
ନୂଆ ପ୍ୟାକେଜ୍ର ଚିକିତ୍ସା ବ୍ୟୟ ରାଜ୍ୟ ସରକାର ବହନ କରିବେ। ଆର୍ଥିକ ଅସୁବିଧା କାରଣରୁ କୌଣସି ରୋଗୀ ଯେପରି ଉନ୍ନତ ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ପ୍ରତିବଦ୍ଧ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବର୍ତ୍ତମାନ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ଲକ୍ଷାଧିକ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇ ସ୍ୱାସ୍ଥ୍ୟସେବାର ସୁବିଧା ଯୋଗାଇ ଦିଆଯାଉଛି।
