Home Featuredସମ୍ବଲପୁରରେ C-DAC ଆଞ୍ଚଳିକ କେନ୍ଦ୍ର ଓ STPI ସମ୍ପ୍ରସାରଣ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ 

ସମ୍ବଲପୁରରେ C-DAC ଆଞ୍ଚଳିକ କେନ୍ଦ୍ର ଓ STPI ସମ୍ପ୍ରସାରଣ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ 

by Sunita Jena
0 comments

ଓଡ଼ିଶାରେ ଶିକ୍ଷା, ଆଇଟି ଓ ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ଆଗକୁ ନେବା ଲକ୍ଷ୍ୟରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ସେ ଦୁଇଟି ପୃଥକ ପତ୍ର ଲେଖି ସମ୍ବଲପୁରରେ ପ୍ରଯୁକ୍ତିଭିତ୍ତିକ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି।

ପ୍ରଥମ ପ୍ରସ୍ତାବରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ C-DACର ଏକ ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। ଏଭଳି କେନ୍ଦ୍ର ଗଠନ ହେଲେ ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟିଂ, ଏଆଇ, ସାଇବର ସୁରକ୍ଷା, ଭାରତୀୟ ଭାଷା ପ୍ରଯୁକ୍ତି ଓ ଡାଟା ବିଶ୍ଳେଷଣ ଭଳି କ୍ଷେତ୍ରରେ ଗବେଷଣାକୁ ନୂଆ ଗତି ମିଳିପାରିବ।

ସମ୍ବଲପୁର ଅଞ୍ଚଳରେ ଏକାଧିକ ଉଚ୍ଚଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଥିବାରୁ ଏହି କେନ୍ଦ୍ର ଛାତ୍ରଛାତ୍ରୀ, ଗବେଷକ ଓ ଯୁବ ପ୍ରତିଭାଙ୍କ ପାଇଁ ଉପଯୋଗୀ ହେବ ବୋଲି ଯୁକ୍ତି ରହିଛି। ଏହା ସହ ଷ୍ଟାର୍ଟଅପ୍‌, ଶିଳ୍ପସଂସ୍ଥା ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ପ୍ରଯୁକ୍ତିଭିତ୍ତିକ ସହଯୋଗ ବଢ଼ାଇବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ।

ଅନ୍ୟପଟେ, ସମ୍ବଲପୁରସ୍ଥିତ STPI କେନ୍ଦ୍ରର ସମ୍ପ୍ରସାରଣ ନେଇ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଦାବି ରଖିଛନ୍ତି। ଏହାକୁ ଆଗାମୀ ଦିନରେ ଆଇଟି, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ମ୍ୟାନୁଫାକ୍ଚରିଂ, ଷ୍ଟାର୍ଟଅପ୍‌ ଏବଂ ଇନୋଭେସନ୍‌ର ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ବିଶେଷକରି ସେମିକଣ୍ଡକ୍ଟର ଡିଜାଇନ, ଏଆଇ, ଡିଜିଟାଲ ସେବା ଓ GCC ଭଳି ଉଦୀୟମାନ କ୍ଷେତ୍ରରେ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାରେ ନୂଆ ସୁଯୋଗ ସୃଷ୍ଟି କରିବା ଏହି ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ। STPIର ବିସ୍ତାର ହେଲେ ଟେକ୍ନୋଲୋଜି କମ୍ପାନୀ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆବଶ୍ୟକ ସୁବିଧା ମିଳିବା ସହ ଦକ୍ଷତା ବିକାଶ ଏବଂ ନିଯୁକ୍ତିର ନୂଆ ଅବସର ଖୋଲିପାରିବ।

ସମ୍ବଲପୁରକୁ ଶିକ୍ଷା ଓ ପ୍ରଯୁକ୍ତିର ଏକ ଶକ୍ତିଶାଳୀ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଏହି ଦୁଇ ପ୍ରସ୍ତାବ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହା ମଞ୍ଜୁର ହେଲେ ପଶ୍ଚିମ ଓଡ଼ିଶାର ଯୁବପିଢ଼ିଙ୍କୁ ଉଚ୍ଚମାନର ପ୍ରଯୁକ୍ତି ଶିକ୍ଷା, ଗବେଷଣା ଓ ଚାକିରି ପାଇଁ ନୂଆ ସୁଯୋଗ ମିଳିବାର ଆଶା ରହିଛି।

You may also like

Leave a Comment