Home » Blog » ରାଜଧାନୀରେ ଅଭାବନୀୟ ଘଟଣା: କାଫେ ସମ୍ମୁଖରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ୯୦% ଶରୀର ପୋଡ଼ିଯାଇଥିବା ସୂଚନା

ରାଜଧାନୀରେ ଅଭାବନୀୟ ଘଟଣା: କାଫେ ସମ୍ମୁଖରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ୯୦% ଶରୀର ପୋଡ଼ିଯାଇଥିବା ସୂଚନା

by Lokanath Panigrahi
0 comments

ପଥରଗାଡ଼ିଆରେ ରାତି ଅଧରେ ଘଟିଲା ଘଟଣା

ସଙ୍କଟାପନ୍ନ ଅବସ୍ଥାରେ AIIMSରେ ଚାଲିଛି ଚିକିତ୍ସା

ପୂର୍ବତନ ପ୍ରେମିକ ଅଟକ, ପ୍ରେମ ସମ୍ପର୍କକୁ ନେଇ ପୋଲିସର ତଦନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ। ଏକ କାଫେ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଜଣେ ୨୧ ବର୍ଷୀୟ ଯୁବତୀ। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ରେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆର ୨୦୦ ଫୁଟିଆ ରାସ୍ତାରେ ଏହି ଘଟଣା ଘଟିଛି। ଯୁବତୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

ଘଟଣା ପରେ ତୁରନ୍ତ ଇନ୍‌ଫୋସିଟି ଥାନା ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ AIIMS ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ସୂଚନା ଅନୁସାରେ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଅଂଶ ଦଗ୍ଧ ହୋଇଛି।

ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଯୁବତୀ ଜଣକ ପୂର୍ବରୁ ନୟାପଲ୍ଲୀ ଅଞ୍ଚଳର ଏକ ନର୍ସିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କିଛି ମାସ ପୂର୍ବରୁ ତାଙ୍କର ପ୍ରେମ ସମ୍ପର୍କରେ ବିଚ୍ଛେଦ ହୋଇଥିବା ଜଣାପଡ଼ିଛି। ଏହି ସମ୍ପର୍କକୁ ନେଇ ମାନସିକ ଚାପରେ ରହି ସେ ଏଭଳି ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

ଏହି ଘଟଣାରେ ଯୁବତୀଙ୍କ ପୂର୍ବତନ ପ୍ରେମିକ ତଥା ଅନୁଗୁଳ ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଘଟଣାସ୍ଥଳରୁ ଅଟକ ରଖିଛି। ତାଙ୍କୁ ପଚରାଉଚରା କରାଯାଉଥିବା ଡିସିପିଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି। ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ କରୁଛି।

ଅନ୍ୟପଟେ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରିବା ପାଇଁ ପୋଲିସ କାଫେ ସମେତ ଆଖପାଖ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ସଂଗ୍ରହ କରାଯାଉଛି। ଯୁବତୀଙ୍କ ସହ କ’ଣ ଘଟିଥିଲା ଏବଂ ଏହି ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ।

ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ସୃଷ୍ଟି କରିଛି।

You may also like

Leave a Comment