ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଶୀତର ପ୍ରକୋପ। ଖସୁଛି ପାରଦ, ବଢ଼ୁଛି ଥଣ୍ଡା। ଚଳିତ ଶୀତ ଋତୁରେ ଆଜି ସବୁଠୁ ଥଣ୍ଡା ସକାଳ ଅନୁଭୂତ ହୋଇଛି। ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ୧୩.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୀତର ଅନୁଭୂତି ବଢ଼ିଛି। ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୧୪.୬, ସମ୍ବଲପୁରରେ ୧୬, ପାରାଦୀପରେ ୧୯ ଏବଂ ବାଲେଶ୍ୱରରେ ୧୮.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।
ଗତ ତିନି ଦିନ ମଧ୍ୟରେ ତାପମାତ୍ରା ୭.୬ ଡିଗ୍ରୀ ହ୍ରାସ ପାଇଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସହରରେ ଉପକୂଳବର୍ତ୍ତୀ ସହର ତୁଳନାରେ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ତାପମାତ୍ରା ହ୍ରାସ ସହ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଶୀତର ପ୍ରକୋପ କିଭଳି ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।
